ବାଂଲାଦେଶରେ ଥମୁନାହିଁ ହିଂସା: ବିଏନପି ନେତାଙ୍କ ଘର ପୋଡ଼ିଲେ ଦୁର୍ବୃତ୍ତ, ୭ ବର୍ଷର ଝିଅ ମୃତ

ବାଂଲାଦେଶରେ ଥମୁନାହିଁ ହିଂସା: ବିଏନପି ନେତାଙ୍କ ଘର ପୋଡ଼ିଲେ ଦୁର୍ବୃତ୍ତ, ୭ ବର୍ଷର ଝିଅ ମୃତ

ଢାକା: ପଡ଼ୋଶୀ ଦେଶ ବାଂଲାଦେଶରେ ପୁଣି ଥରେ ହିଂସାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଗୋଟିଏ ଦିନର ସାମାନ୍ୟ ଶାନ୍ତି ପରେ ଶନିବାର ରାତିରେ ଢାକା ସମେତ ବିଭିନ୍ନ ସହର ପୁଣି ଥରେ ଉଗ୍ର ରୂପ ଧାରଣ କରିଛି । ଉପଦ୍ରବୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅମାନୁଷିକ କାଣ୍ଡ ଭିଆଇଛନ୍ତି । ବିଏନପି ନେତାଙ୍କ ଘରେ ନିଆଁ ଲଗାଇ ଦିଆଯିବା ଫଳରେ ଜଣେ ୭ ବର୍ଷର ଶିଶୁ କନ୍ୟାର କରୁଣ ମୃତ୍ୟୁ ଘଟିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଲକ୍ଷ୍ମୀପୁର ସଦର ଉପ-ଜିଲ୍ଲାର ପଶ୍ଚିମ ଚାର ମାନସା ଗାଁରେ ଏହି ହୃଦୟବିଦାରକ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଉପଦ୍ରବୀମାନେ ଭବାନୀଗଞ୍ଜ ୟୁନିଅନ ବିଏନପି ନେତା ତଥା ବ୍ୟବସାୟୀ ବେଲାଲ ହୋସେନଙ୍କ ଘରକୁ ଘେରି ନିଆଁ ଲଗାଇ ଦେଇଥିଲେ। ଏହି ଭୟଙ୍କର ଅଗ୍ନିକାଣ୍ଡରେ ବେଲାଲଙ୍କ ୭ ବର୍ଷର ଝିଅର ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ୩ ସଦସ୍ୟ ଗୁରୁତର ହୋଇଛନ୍ତି। ବେଲାଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ନିକଟରେ ଛାତ୍ରନେତା ଶରୀଫ ଓସମାନ ହାଦୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସମଗ୍ର ବାଂଲାଦେଶରେ ଉତ୍ତେଜନା ଲାଗି ରହିଛି। ହାଦୀଙ୍କ ସମର୍ଥକମାନେ ଗତ ଦୁଇ ଦିନ ଧରି ବିଭିନ୍ନ ସହରରେ ତାଣ୍ଡବ ରଚିବା ସହ ଗଣମାଧ୍ୟମ କାର୍ଯ୍ୟାଳୟ ଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଢାକାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ସିଲ୍ କରାଯାଇଛି ଏବଂ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲଗାଯାଇଛି। କିନ୍ତୁ ଏସବୁ ସତ୍ତ୍ୱେ ହଜାର ହଜାର ଜନତା କଟକଣା ଉଲ୍ଲଂଘନ କରି ରାସ୍ତାକୁ ଓହ୍ଲାଇଛନ୍ତି।

ଏହି ହିଂସାକାଣ୍ଡରେ ଏବେ ଭାରତ ବିରୋଧୀ ସ୍ଲୋଗାନ ଶୁଣିବାକୁ ମିଳୁଛି। ହାଦୀଙ୍କ ହତ୍ୟାକାରୀମାନେ ଭାରତକୁ ପଳାୟନ କରିଥିବା ଗୁଜବ ସୃଷ୍ଟି କରି କେତେକ କଠୋରପନ୍ଥୀ ଗୋଷ୍ଠୀ ଲୋକଙ୍କୁ ଉସୁକାଉଛନ୍ତି। ଗତକାଲି ଚଟ୍ଟଗ୍ରାମରେ ଭାରତୀୟ ହାଇକମିଶନରଙ୍କ ବାସଭବନ ଉପରକୁ ପଥର ମାଡ଼ ହେବା ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଭାରତ ସରକାର ଗଭୀର ଉଦବେଗ ପ୍ରକାଶ କରିବା ସହ ନିଜ ଦୂତାବାସର ସୁରକ୍ଷା ପାଇଁ ବାଂଲାଦେଶ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନେ ଏବେ ସଂପୂର୍ଣ୍ଣ ଆତଙ୍କିତ। ବିଭିନ୍ନ ହିନ୍ଦୁ ସଂଗଠନ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଫେରାର ଥିବା ବେଳେ ଆମେରିକୀୟ ଦୂତାବାସ ମଧ୍ୟ ଆଗକୁ ହିଂସା ବଢ଼ିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories