ମୋଦୀ-ନୀତିଶଙ୍କୁ ମାଞ୍ଝୀଙ୍କ ଖୋଲା ଚ୍ୟାଲେଞ୍ଜ! ମେଣ୍ଟରେ ସବୁ ଠିକ୍ ଅଛି ତ?

ମୋଦୀ-ନୀତିଶଙ୍କୁ ମାଞ୍ଝୀଙ୍କ ଖୋଲା ଚ୍ୟାଲେଞ୍ଜ! ମେଣ୍ଟରେ ସବୁ ଠିକ୍ ଅଛି ତ?

ପାଟନା: ବିହାର ରାଜନୀତି ପୁଣି ଥରେ ସରଗରମ ହେବାରେ ଲାଗିଛି। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM)ର ସଂସ୍ଥାପକ ତଥା କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଞ୍ଝୀଙ୍କ ଏକ ବୟାନ ଏବେ ଏନଡିଏ (NDA) ମେଣ୍ଟ ମଧ୍ୟରେ ଝଡ଼ ସୃଷ୍ଟି କରିଛି। ବିଶେଷ କରି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସିଟ୍ ସେୟାରିଂକୁ ନେଇ ମାଞ୍ଝୀ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ନିଜ ଦଳ ପାଇଁ ଉଚିତ ଅଂଶ ଦାବି କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, ମାଞ୍ଝୀ କ’ଣ ଏନଡିଏଠାରୁ ଦୂରେଇ ଯିବାକୁ ଯୋଜନା କରୁଛନ୍ତି କି?

ଗୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୀତନ ରାମ ମାଞ୍ଝୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏନଡିଏ ଭିତରେ ତାଙ୍କ ଦଳକୁ ତା’ର ପ୍ରାପ୍ୟ ସମ୍ମାନ ମିଳିବା ଉଚିତ। ସେ କହିଛନ୍ତି, “ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ ଜେଡିୟୁ ଏବଂ ବିଜେପିକୁ ଦୁଇଟି ଲେଖାଏଁ ଏବଂ ଏଲଜେପି (ରାମ ବିଳାସ)କୁ ଗୋଟିଏ ରାଜ୍ୟସଭା ଆସନ ମିଳିବ। ଏପରି ପରିସ୍ଥିତିରେ ଆମ ଦଳ ‘ହାମ’ କେଉଁଠି? ଆମକୁ ମଧ୍ୟ ରାଜ୍ୟସଭାରେ ସ୍ଥାନ ମିଳିବା ଦରକାର।” ମାଞ୍ଝୀଙ୍କ ଏହି ଦାବି ମେଣ୍ଟ ଭିତରେ ଥିବା ସମୀକରଣକୁ ନୂଆ ମୋଡ଼ ଦେଇଛି।

୨୦୨୪ ଲୋକସଭା ନିର୍ବାଚନ ସମୟର କଥା ଉଠାଇ ମାଞ୍ଝୀ କହିଛନ୍ତି ଯେ, ସେତେବେଳେ ତାଙ୍କୁ ଦୁଇଟି ଲୋକସଭା ଆସନ କିମ୍ବା ଗୋଟିଏ ଲୋକସଭା ଓ ଗୋଟିଏ ରାଜ୍ୟସଭା ଆସନ ଦେବାକୁ କୁହାଯାଇଥିଲା। କିନ୍ତୁ ଶେଷରେ ତାଙ୍କୁ ମାତ୍ର ଗୋଟିଏ ଲୋକସଭା ଆସନ ମିଳିଥିଲା। ସେହି ଗୋଟିଏ ଆସନରେ ସେ ବିଜୟୀ ହୋଇଥିଲେ ଏବଂ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ମଧ୍ୟ, ତାଙ୍କର ଏକ ରାଜ୍ୟସଭା ଆସନ ଏବେ ବି ବାକି ଅଛି ବୋଲି ସେ ଜୋର ଦେଇ କହିଛନ୍ତି। ଆଗାମୀ ଏପ୍ରିଲରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ତାଙ୍କୁ ଗୋଟିଏ ସିଟ୍ ମିଳିବା ଉଚିତ ବୋଲି ସେ ଦୃଢ଼ ଦାବି କରିଛନ୍ତି।

ମେଣ୍ଟରୁ ଅଲଗା ହେବା ପ୍ରସଙ୍ଗରେ ମାଞ୍ଝୀ କହିଛନ୍ତି ଯେ, ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି। ସେ ଏବେ ବି ଏନଡିଏ ସହ ଅଛନ୍ତି। ତେବେ ଦଳର ଭବିଷ୍ୟତ ଓ ସ୍ୱୀକୃତିକୁ ନେଇ ସେ ଚିନ୍ତିତ। ମାଞ୍ଝୀଙ୍କ କହିବା ଅନୁଯାୟୀ, ଗୋଟିଏ ସ୍ୱୀକୃତିପ୍ରାପ୍ତ ଦଳ ହେବା ପାଇଁ ଅତିକମରେ ୬ ପ୍ରତିଶତ ଭୋଟ୍ ଆବଶ୍ୟକ। ଯଦି ‘ହାମ’ ଆଗାମୀ ଦିନରେ ଅଧିକ ଆସନରେ ନିର୍ବାଚନ ଲଢ଼ିବ (ପ୍ରାୟ ୫୦ ରୁ ୧୦୦ ସିଟ୍), ତେବେ ଯାଇ ଏହା ଏକ ପଞ୍ଜୀକୃତ ଆଞ୍ଚଳିକ ଦଳର ମାନ୍ୟତା ପାଇପାରିବ।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜୀତନ ରାମ ମାଞ୍ଝୀଙ୍କ ଏହି ‘ପ୍ରେସର ପଲିଟିକ୍ସ’ ବିଜେପି ଏବଂ ନୀତିଶ କୁମାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ଯଦି ତାଙ୍କ ଦାବି ପୂରଣ ନହୁଏ, ତେବେ ବିହାର ରାଜନୀତିରେ ପୁଣି କୌଣସି ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିପାରେ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories