ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଖରିଫ ୨୦୨୫-୨୬ ଧାନ ସଂଗ୍ରହ ସମୀକ୍ଷା

ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଖରିଫ ୨୦୨୫-୨୬ ଧାନ ସଂଗ୍ରହ ସମୀକ୍ଷା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଖରିଫ ୨୦୨୫-୨୬ ଧାନ ସଂଗ୍ରହର ସମୀକ୍ଷା କରିଛନ୍ତି। ଚାଷୀଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବା ଓ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ କଡାକଡି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ନିୟୋଜିତ ବିଭାଗୀୟ ଅଧିକାରୀଙ୍କୁ ମଣ୍ଡି ଗୁଡ଼ିକୁ ନିୟମିତ ଭାବରେ ପରିଦର୍ଶନ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ରାଜ୍ୟରେ ଖରିଫ ଧାନ ସଂଗ୍ରହ ଜାରି ରହିଛି। ଅଧ୍ୟାବଧି ରାଜ୍ୟର ୧୧ ଗୋଟି ଜିଲ୍ଲାରେ ମଣ୍ଡି ଦ୍ୱାରା ସଂଗ୍ରହ ଆରମ୍ଭ ହୋଇସାରିଲାଣି। ଏଗୁଡ଼ିକ ମଧ୍ୟରେ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ରହିଛି। ଏଥିସହିତ, ରାଜ୍ୟର ସମସ୍ତ ମଣ୍ଡିରେ ସିସି କ୍ୟାମେରା ଲାଗିସାରିଛି ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ମନିଟରିଂ କରାଯାଉଛି। ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ମଣ୍ଡିର ଭିତ୍ତିଭୂମି ସୁଦୃଢ କରାଯାଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମାନକ ଅନୁଯାୟୀ ମଡେଲ୍ ମଣ୍ଡି ତିଆରି କରାଯାଇଛି।

ଉପଲବ୍ଧ ତଥ୍ୟ ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୯୭, ୯୭୨ ଜଣ ଚାଷୀଙ୍କ ଠାରୁ ୪,୩୯,୨୯୪ ମେଟ୍ରିକ୍ ଟନ୍ ଧାନ ବିଭିନ୍ନ ମଣ୍ଡି ମାଧ୍ୟମରେ ସଂଗ୍ରହ ହୋଇସାରିଲାଣି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୩୬, ୩୫୬ ଜଣ ଚାଷୀ ୧, ୬୩, ୨୮୮ ମେଟ୍ରିକ୍ ଟନ୍ ଧାନ ମଣ୍ଡିରେ ଦେଇଛନ୍ତି ଏବଂ ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୯, ୪୧, ୪୩୩ ଜଣ ଚାଷୀଙ୍କୁ ଟୋକେନ୍ ଯୋଗାଇ ଦିଆଯାଇଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ନିର୍ଦ୍ଧାରିତ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ।

ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ଵଚ୍ଛ ରଖିବା ପାଇଁ ଏବଂ ଚାଷୀଙ୍କୁ ନିଜର ପ୍ରାପ୍ୟ ସଠିକ୍ ଭାବେ ଯୋଗାଇଦେବା ପାଇଁ ରେଜିଷ୍ଟ୍ରସନ ସମୟରେ ଇ-କେୱାଇସି ବ୍ୟବସ୍ତା ଅବଲମ୍ବନ କରାଯାଉଛି ଏବଂ ଆଧାର ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯାଉଛି। ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଯାଉଥିବା ଗାଡ଼ି ଗୁଡ଼ିକର ଲାଇଭ୍ ଟ୍ରାକିଂ ମଧ୍ୟ ବିଭାଗ ଦ୍ୱାରା ଜାରି ରହିଛି।

ବୈଠକରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଶ୍ରୀ ସଞ୍ଜୟ କୁମାର ସିଂହ ପ୍ରମୁଖ ଯୋଗଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ବିଭାଗରୁ ବହୁ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଯୋଗଦେଇଥିଲେ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories