ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ନିର୍ମାଣ ବିଭାଗର ସମୀକ୍ଷା ବୈଠକ

ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ନିର୍ମାଣ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସବୁ ବିଭାଗକୁ ଯେଉଁ ୧୫ ସୂତ୍ରୀ ବିଷୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ କିଭଳି ଅନୁପାଳନ କରାଯାଇପାରିବ ସେ ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିରେ ସବୁ ସରକାରୀ କାର୍ଯ୍ୟ ଏପରିକି ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଆଦି ଓଡ଼ିଆରେ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ରାଜ୍ୟ ସରକାର ସବୁବେଳେ ନୂତନ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ତେଣୁ ଖାଲିଥିବା ପଦ ପୂରଣ ଏବଂ ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ଦେବା ପାଇଁ ବୈଠକରେ ଶ୍ରୀ ସିଂହ ଗୁରୁତ୍ୱ ଦେଇଥିଲେ ।

ଏହି ଅବସରରେ ପ୍ରମୁଖ ଶାସନ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ କହିଥିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ତେଣୁ ସମୟ ସହିତ ତାଳଦେଇ ଆଗକୁ ବଢ଼ିବାକୁ ପଡ଼ିବ । ପାରମ୍ପରିକ ଶୈଳୀରେ ଫାଇଲ କାର୍ଯ୍ୟ ଯୋଗୁଁ କାର୍ଯ୍ୟ ଅଯଥା ବିଳମ୍ବିତ ହେଉଛି । ତେଣୁ ଏଣିକି ସବୁ ସରକାରୀ କାର୍ଯ୍ୟ ଏବଂ ଫାଇଲ ଅନ୍‌ଲାଇନ୍‌ ଓ ଓସ୍ୱାସ୍‌ ଜରିଆରେ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବର୍ତ୍ତମାନ ଜାରି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯେପରିକି ଭୁବନେଶ୍ୱର ଭିଡ଼ ନିୟନ୍ତ୍ରଣ ପାଇଁ ଜୟଦେବ ବିହାର-ନନ୍ଦନକାନନ ସମେତ ମୋଟ ୩୭ ଗୋଟି ରାସ୍ତା ପ୍ରକଳ୍ପ, କୋରାପୁଟ-ଜୟପୁର, ବ୍ରହ୍ମପୁର-ଜୟପୁର, ନମୋ ଏକ୍ସପ୍ରେସ୍‌ ୱେ ଏବଂ ଅଟଳ ଏକ୍ସପ୍ରେସ୍‌ ୱେ ଆଦି ପାଇପ୍‌ଲାଇନ୍‌ରେ ଥିବା ବିଭିନ୍ନ ପ୍ରକଳ୍ପକୁ ସମୟ ଅବଧି ମଧ୍ୟରେ ସାରିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଏଥି ସହିତ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ, ୟୁଟିଲିଟି ସିଫଟିଂ ଆଦି କିଭଳି ସହଜରେ କରିହେବ ସେଥି ନେଇ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଏଲ୍‌.କେ. ପାଢ଼ୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରଞ୍ଜନ ଦାସ, ଶ୍ରୀ ପ୍ରଦୀପ ସାହୁ, ଇଆଇସି ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ବିଲ୍‌ଡିଂ ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟଯନ୍ତ୍ରୀ ଏନ୍‌ଏଚ୍‌-୧ ଇଂ ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ ଏନ୍‌ଏଚ୍‌-୨ ଇଂ ଦୀପକ ପାଣିଗ୍ରାହୀ, ମୁଖ୍ୟଯନ୍ତ୍ରୀ, ବ୍ରିଜ ଇଂ ଅରବିନ୍ଦ ତ୍ରୀପାଠୀ, ଯୁଗ୍ମ ଶାସନ ସଚିବ ଶ୍ରୀ ଦୀପ୍ତିରଞ୍ଜନ ବେହେରା, ଅର୍ଥ ପରାମର୍ଶଦାତା ରତୀକାନ୍ତ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories