ଓଡ଼ିଶାକୁ ବଡ଼ ଭେଟି ଦେଲେ ମୋଦୀ ସରକାର; ଖଣିଜ ସମ୍ପଦର ବିକାଶ ପାଇଁ ବଜେଟ- ୨୦୨୬ ରେ ସ୍ୱତନ୍ତ୍ର ବ୍ୟବସ୍ଥା

ଓଡ଼ିଶାକୁ ବଡ଼ ଭେଟି ଦେଲେ ମୋଦୀ ସରକାର; ଖଣିଜ ସମ୍ପଦର ବିକାଶ ପାଇଁ ବଜେଟ- ୨୦୨୬ ରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଆଜି ଉପସ୍ଥାପିତ 2026-27 ଆର୍ଥିକ ବର୍ଷର ସାଧାରଣ ବଜେଟରେ ଖଣିଜ ସମ୍ପଦରେ ଭରପୂର ଓଡିଶାକୁ ବଡ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନବମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରି ଅର୍ଥମନ୍ତ୍ରୀ ବିକଶିତ ଭାରତ ନିର୍ମାଣ ଲାଗି 3 ଟି କର୍ତ୍ତବ୍ୟ ପାଇଁ ଆହ୍ୱାନ ଦେଇଛନ୍ତି । ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ, କ୍ଷମତା ନିର୍ମାଣ ଏବଂ ସବକା ସାଥ୍ ସବକା ବିକାଶ ପାଇଁ ସେ ପ୍ରସ୍ତାବ ରଖିଛନ୍ତି ।

ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ହୋଇଥିବା ପ୍ରଥମ ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶା ସହିତ କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ପାଇଁ ଏକ ବିଶେଷ ପ୍ୟାକେଜ୍ ଘୋଷଣା କରିଛନ୍ତି । ଦେଶର ଖଣିଜ ସମ୍ପଦରେ ସମୃଦ୍ଧ ଏହି ରାଜ୍ୟଗୁଡ଼ିକରେ ଶିଳ୍ପାୟନର ବିକାଶ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଳନାଡୁରେ ଖଣିଜ ଉତ୍ପାଦନ, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନ ପାଇଁ ଏକ ନିର୍ଦ୍ଦିଷ୍ଟ “ରେୟାର ଅର୍ଥ କରିଡୋର” ସ୍ଥାପନ ପାଇଁ ବଜେଟରେ ପ୍ରସ୍ତାବ ରହିଛି । ଏହା ସହ ବିଦ୍ୟୁତ ଚାଳିତ ଯାନ, ପ୍ରତିରକ୍ଷା ଓ ହାଇ-ଟେକ୍ ଶିଳ୍ପକୁ ନୂଆ ଦିଗ ଦେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରାଜ୍ୟରେ ଜାତୀୟ ଜଳମାର୍ଗ 5 ଆରମ୍ଭ କରାଯିବ । ଏହି ଜଳମାର୍ଗ ତାଳଚେର ଏବଂ ଅନୁଗୋଳ ଭଳି ଖଣି ସମୃଦ୍ଧ ଅଞ୍ଚଳକୁ କଳିଙ୍ଗ ନଗର ଶିଳ୍ପାଞ୍ଚଳ ସହିତ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ିବ । ଏହାଦ୍ୱାରା ଖଣିଜ ସମ୍ପଦ ପରିବହନ ସୁଗମ ହୋଇପାରିବ । ଅର୍ଥମନ୍ତ୍ରୀ କହିଛନ୍ତି ଏ ସବୁ ଜଳମାର୍ଗ ପାଇଁ ମାନବ ସମ୍ୱଳ ପ୍ରସ୍ତୁତ କରିବା ଲାଗି ଆଞ୍ଚଳିକ ତାଲିମ୍ କେନ୍ଦ୍ରଗୁଡ଼ିକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ । ସେହିପରି ପଟନା ଏବଂ ବାରାଣାସୀରେ ଅନ୍ତର୍ଦେଶୀୟ ଜଳମାର୍ଗ ପାଇଁ ଜାହଜ ମରାମତି ଉଦ୍ୟୋଗ ବିକଶିତ କରାଯିବ । ଏହା ସହ ଓଡ଼ିଶା ସମେତ ବିଭିନ୍ନ ଉପକୂଳ ରାଜ୍ୟରେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କ୍ଷେତ୍ର ବିକଶିତ କରାଯିବା ପାଇଁ ବଜେଟରେ ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ତାଙ୍କ ବଜେଟ୍ ଅଭିଭାଷଣରେ ଟର୍ଟଲ ଟ୍ରେଲ୍ ବିକାଶ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଓଡ଼ିଶା କର୍ଣ୍ଣାଟକ ଏବଂ କେରଳରେ ଏଭଳି ସୁରକ୍ଷିତ କ୍ଷେତ୍ର ବିକାଶ ଲାଗି ଯୋଜନା କରାଯାଇଛି । ଏହା ବିରଳ ପ୍ରଜାତିର କଇଁଛଙ୍କ ଅଣ୍ଡାଦାନ ଏବଂ ବିକାଶ ପ୍ରକ୍ରିୟାକୁ ସମର୍ଥନ କରିବା ସହିତ ପରିବେଶ ଅନୁକୂଳ ପର୍ଯ୍ୟଟନ ବିକାଶରେ ସହାୟକ ହେବ ।

Latest Stories