ଭୁବନେଶ୍ବର : ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଦିଲ୍ଲୀସ୍ଥିତ ‘ନ୍ୟାସନାଲ୍ ଡିଫେନ୍ସ କଲେଜ୍’ (NDC)ର ଏକ ପ୍ରତିନିଧି ଦଳ ସାକ୍ଷାତ କରିଛନ୍ତି। ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀଙ୍କ ସମେତ ୫ଟି ବନ୍ଧୁରାଷ୍ଟ୍ର— ଆର୍ମେନିଆ, ଭୁଟାନ, ଶ୍ରୀଲଙ୍କା, ମଙ୍ଗୋଲିଆ ଏବଂ ନେପାଳର ସେନା ଅଧିକାରୀମାନେ ସାମିଲ ଥିଲେ।
ଜାତୀୟ ସେବା ହିଁ ସର୍ବୋପରି: ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମ ପାଇଁ ଦେଶର ଅର୍ଥ ହେଉଛି କେବଳ ଜାତୀୟ ସେବା।” ଏହି ମନୋଭାବ ସାମରିକ ଅଧିକାରୀଙ୍କ ଭାବାବେଗ ସହ ସମାନ ବୋଲି ସେ ପ୍ରକାଶ କରିଥିଲେ।
‘ଅପରେସନ ସିନ୍ଦୁର’ର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ସଶସ୍ତ୍ର ବାହିନୀର ସାହସ ଓ ନିଃସ୍ୱାର୍ଥପର ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ।
ପ୍ରାଚୀନ ଓଡ଼ିଶାର ବୀରତ୍ୱ ଗାଥା ସହ ଆଧୁନିକ ଓଡ଼ିଶାର ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, କ୍ରୀଡ଼ା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଥିବା ସଫଳତା ବିଷୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।
ଓଡ଼ିଶାର ଦ୍ରୁତ ବିକାଶ ଏବଂ ରୂପାନ୍ତରକୁ ଦେଖି ବିଦେଶୀ ସେନା ଅଧିକାରୀମାନେ ନିଜର ସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟର ପ୍ରଗତିକୁ ଭୁରିଭୁରି ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏୟାର ମାର୍ଶାଲ ମନୀଷ କୁମାର ଗୁପ୍ତା, ମେଜର ଜେନେରାଲ ସିପି ସାଙ୍ଗରାଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।








