ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଜୀବନର ପ୍ରଥମ ବଡ଼ ପରୀକ୍ଷା ‘ମାଟ୍ରିକ ପରୀକ୍ଷା’ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୬୧ ହଜାର ପରୀକ୍ଷାର୍ଥୀ ରାଜ୍ୟର ୩,୦୮୨ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପରୀକ୍ଷା ସୂଚୀ ଓ ସମୟ:
ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ପ୍ରଥମ ଭାଷା (MIL) ପରୀକ୍ଷା ଦେଉଛନ୍ତି। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀମାନଙ୍କୁ ସକାଳ ୮ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ
ହାଇଟେକ୍ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର
ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ବୋର୍ଡ ଚଳିତ ବର୍ଷ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଛି:
QR କୋଡ୍ ଓ ୱାଟରମାର୍କ: ପ୍ରତିଟି ପ୍ରଶ୍ନପତ୍ରରେ ସ୍ୱତନ୍ତ୍ର QR କୋଡ୍ ରହିଛି, ଯାହା ଦ୍ୱାରା କୌଣସି ଅନିୟମିତତା ହେଲେ ତୁରନ୍ତ ଧରାପଡ଼ିବ।
ନୋଡାଲ ସେଣ୍ଟର: ରାଜ୍ୟର ୩୨୨ଟି ନୋଡାଲ ସେଣ୍ଟରକୁ ‘ଭାଇରାଲ ରେଜିଷ୍ଟାନ୍ସ’ କରାଯିବା ସହ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଇଛି।
GPS ଟ୍ରାକିଂ: ପ୍ରଶ୍ନପତ୍ର ନେଇ ଯାଉଥିବା ଗାଡ଼ିଗୁଡ଼ିକରେ GPS ଲଗାଯାଇଛି ଏବଂ ବାକ୍ସଗୁଡ଼ିକ ସେମି-ଡିଜିଟାଲ୍ ପିନ୍ ଲକ୍ ସାହାଯ୍ୟରେ ସୁରକ୍ଷିତ ରଖାଯାଇଛି।
AI କ୍ୟାମେରା ଓ ସ୍କ୍ୱାଡ୍ ଉପରେ ନଜର:
କପି ମୁକ୍ତ ପରୀକ୍ଷା ପାଇଁ ପ୍ରଥମ ଥର ପାଇଁ AI-ଯୁକ୍ତ CCTV କ୍ୟାମେରା ବ୍ୟବହାର କରାଯାଉଛି। କଟକ ସ୍ଥିତ ବୋର୍ଡ ମୁଖ୍ୟାଳୟରୁ ଏହି କ୍ୟାମେରା ମାଧ୍ୟମରେ ସିଧାସଳଖ ପରୀକ୍ଷା ହଲ୍ ଉପରେ ନଜର ରଖାଯାଉଛି। ଏହା ବ୍ୟତୀତ
ବୋର୍ଡ ପକ୍ଷରୁ ୩୭ଟି ସ୍କ୍ୱାଡ୍ ଏବଂ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ୍ ଗଠନ କରାଯାଇଛି।
ଫ୍ଲାଇଂ ସ୍କ୍ୱାଡ୍ ଏବଂ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ବିଭିନ୍ନ କେନ୍ଦ୍ର ହଠାତ୍ ପରିଦର୍ଶନ କରିବେ।
ପରୀକ୍ଷାର୍ଥୀଙ୍କ ପାଇଁ ସୂଚନା: ସାଙ୍ଗରେ ଆଡମିଟ୍ କାର୍ଡ ଆଣିବା ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ବା କୌଣସି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ନେବା ସମ୍ପୂର୍ଣ୍ଣ ନିଷେଧ।








