ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ସୁଦୃଢ଼ କରିବା ଦିଗରେ ରାଜ୍ୟସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଲୋକସେବା ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ବୈଠକରେ ମାନ୍ୟବର ମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରୟୋଗ ଉପରେ ବିଶେଷ ଗୁରୁତ୍ୱ ଦେବା ସହ ବିଭିନ୍ନ ସ୍ଥାନରେ ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।
ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଦ୍ରୁତ ଗତିରେ ଚାଲିଥିବା ବେଳେ, ମାନ୍ୟବର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବନ୍ୟାଜଳ ଛାଡ଼ିବାର ୭୨ ଘଣ୍ଟା ମଧ୍ୟରେ ପ୍ରଭାବିତ ୨୨ଟି ଜିଲ୍ଲାକୁ ମୋଟ ୧୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ବାଲେଶ୍ୱର ଜିଲ୍ଲାକୁ ୨୨.୦୩ କୋଟି, ଯାଜପୁର ଜିଲ୍ଲାକୁ ୨୦.୨୦ କୋଟି, ଭଦ୍ରକ ଜିଲ୍ଲାକୁ ୨୦.୧୨ କୋଟି, ଜଗତସିଂହପୁର ଜିଲ୍ଲାକୁ ୮.୧୮ କୋଟି, କେନ୍ଦୁଝର ଜିଲ୍ଲାକୁ ୬.୧୧ କୋଟି, ସମ୍ବଲପୁର ଜିଲ୍ଲାକୁ ୫.୫୬ କୋଟି, କେନ୍ଦ୍ରାପଡ଼ା ଜିଲ୍ଲାକୁ ୫.୦୪ କୋଟି ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୫.୦୨ କୋଟି ଟଙ୍କାର ସହାୟତା ମିଳିଛି। ମନ୍ତ୍ରୀ ଜଣାଇଛନ୍ତି ଯେ ଗତବର୍ଷ ଜୁଲାଇ ତୁଳନାରେ ଏହିବର୍ଷ ଜୁଲାଇରେ ୬୫% ଅଧିକ ବୃଷ୍ଟିପାତ ହୋଇଥିଲା, କେତେକ ସ୍ଥାନରେ ତାହା ୯୭% ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହା ମଧ୍ୟରେ ବିଭିନ୍ନ ନଦୀର ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଅନେକ ସ୍ଥାନରେ ଏହା ସମ୍ପୂର୍ଣ୍ଣ ହ୍ରାସ ହୋଇନାହିଁ। ଜିଲ୍ଲା ପ୍ରଶାସନକୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ମନ୍ତ୍ରୀ ନିଜେ ଅଧିକାରୀ, ବିଡିଓ ଓ ତହସିଲଦାରମାନଙ୍କ ସହ ପୁଣି ବୈଠକ କରିବେ।
ପାଣିପାଗ ପୂର୍ବାନୁମାନକୁ ଆହୁରି ଶାଣିତ ଓ ନିର୍ଭୁଲ୍ କରିବା ଉଦ୍ଦେଶ୍ୟରେ ସମ୍ବଲପୁରରେ ଡପଲର୍ ରାଡାର୍ ଚାଲୁ ହୋଇସାରିଛି, ଆଉ ଅତି ଶୀଘ୍ର ବାଲେଶ୍ୱର ଓ ଭୁବନେଶ୍ୱରର ରାଡାର୍ ମଧ୍ୟ କାର୍ଯ୍ୟକ୍ଷମ ହେବ। ପୁରୀରେ ସମ୍ପୂର୍ଣ୍ଣ ନୂତନ ରାଡାର୍ ବସାଣ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଗୋପାଳପୁର ଓ ପାରାଦୀପର ପୂର୍ବରୁ ଥିବା ରାଡାରର ଆବଶ୍ୟକୀୟ ମରାମତି କାର୍ଯ୍ୟ ଚାଲିଛି। ପ୍ରାୟ ୫୭୩ କିଲୋମିଟର ଉପକୂଳ ଅଞ୍ଚଳରେ ଥିବା ୧୨୨ଟି ଚେତାବନୀ ଟାୱାର୍ର ଆଧୁନିକୀକରଣ ସହ ପ୍ରତ୍ୟେକ ଟାୱାରରେ ୩୬୦ ଡିଗ୍ରୀ କ୍ୟାମେରା ଲଗାଯିବ ଏବଂ ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ ମାଧ୍ୟମରେ ଏହାର ସାମର୍ଥ୍ୟ ବଢ଼ାଯିବ। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ମୁଖ୍ୟ କଣ୍ଟ୍ରୋଲ ରୁମରୁ ଉଚ୍ଚଗତିଶୀଳ ସୂଚନା ଆଦାନପ୍ରଦାନ ବ୍ୟବସ୍ଥା ସ୍ଥାପନ କରାଯିବ। ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ପୂର୍ବ ସୂଚନା ବ୍ୟବସ୍ଥା ଅଧ୍ୟୟନ ପାଇଁ ଗୋଆ ଓ କେରଳ ଗସ୍ତ କରି ସେଠାର ଅନୁଭୂତି ମଧ୍ୟ ସଂଗ୍ରହ କରିଛନ୍ତି।
ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ଚାଷଜମି ମାନଙ୍କରେ ତାଳଗଛ ଲଗାଣ ନିମନ୍ତେ ଜଙ୍ଗଲ ବିଭାଗକୁ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପଟେ ମୌସୁମୀ ବର୍ଷାରେ ସହରାଞ୍ଚଳ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବା ନେଇ ଆଲୋଚନା ଚାଲିଛି, ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଆଇଆଇଟି ରୁର୍କୀ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି।
ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ଦିନରେ ଜଳଭଣ୍ଡାର ମାନଙ୍କରେ ଜଳ ସଂରକ୍ଷଣ, ବିଭିନ୍ନ ନଦୀର ଜଳ ଆବଣ୍ଟନ ଓ ନିଷ୍କାସନ ବ୍ୟବସ୍ଥାର ସୁପରିଚାଳନା ସହ ପାର୍ଶ୍ୱବର୍ତ୍ତୀ ରାଜ୍ୟ ମାନଙ୍କ ସହ ସମନ୍ୱୟ ରକ୍ଷା କରି କମ୍ପ୍ୟୁଟରାଇଜଡ୍ ବ୍ୟବସ୍ଥା ମାଧ୍ୟମରେ ନଦୀ ଜଳ ନିୟନ୍ତ୍ରଣ କରାଯିବ। ଏହିଭଳି ସୁଦୃଢ଼ ଭିତ୍ତିଭୂମି ବିକାଶ ମାଧ୍ୟମରେ ପ୍ରତିଟି ଧନଜୀବନର ସୁରକ୍ଷା ପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।







