ମାଲକାନଗିରି: ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା! ଆଜି ରାତି ୧୨ ଯାଏଁ ସେବା ବନ୍ଦ

ମାଲକାନଗିରି: ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା! ଆଜି ରାତି ୧୨ ଯାଏଁ ସେବା ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଇଣ୍ଟରନେଟ୍ ସେବା ଉପରେ କଟକଣାର ଅବଧି ବୃଦ୍ଧି କରାଯାଇଛି। ଗତକାଲି (ଡିସେମ୍ବର ୧୨ ତାରିଖ) ଏହି କଟକଣାକୁ ଆଉ ୨୪ ଘଣ୍ଟା ପାଇଁ ବଢାଇ ଦିଆଯାଇଛି, ଯାହା ଆଜି (ଡିସେମ୍ବର ୧୩) ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ଗୁଜବ ପ୍ରଚାରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, ମୁଣ୍ଡବିହୀନ ମୃତଦେହ ମିଳିବା ପରେ MV-୨୬ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି।

ତେବେ, ଏମ୍‌ଭି-୨୬ ଗାଁରେ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକ ପରେ ଉଭୟ ପକ୍ଷ ଶାନ୍ତି ଫେରାଇ ଆଣିବାକୁ ସହମତି ପ୍ରକାଶ କରିଛନ୍ତି। ଏହି ସକାରାତ୍ମକ ବାର୍ତ୍ତା ପରେ ଭୟରେ ଘର ଛାଡି ଚାଲିଯାଇଥିବା ଲୋକେ ଏବେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଯଦିଓ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି, ତଥାପି କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ପୋଲିସ ଏବଂ ସୁରକ୍ଷା ବାହିନୀ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଘଟଣାସ୍ଥଳରେ ଏବେବି ପୋଲିସ ଛାଉଣୀ ରହିଛି। ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ୟକ୍ତ ଗ୍ରାମବାସୀ MV-୨୬ ଗାଁରେ ଅନେକ ଘର ପୋଡ଼ି ପକାଇବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ କରାଯାଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ପୋଲିସ ଡିଜି ନିଜେ ଗାଁରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକରେ ସମାଧାନ ପରେ ଗାଁକୁ ଶାନ୍ତି ଫେରୁଛି। ତେବେ, ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।

MV-୨୬ ଗାଁରେ ଶାନ୍ତି ଫେରିବାର ପ୍ରୟାସ ଜାରି ରହିଥିବାବେଳେ, ପ୍ରଶାସନ ଉଭୟ ଗୋଷ୍ଠୀ ମଧ୍ୟରେ ବିଶ୍ୱାସ ଓ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories