ଓଡ଼ିଶାରେ କାଲୁଆ ଶୀତର ରେକର୍ଡ ଭାଙ୍ଗିଲା: ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଡିଗ୍ରୀ ଛୁଇଁଲା ପାରଦ

ଓଡ଼ିଶାରେ କାଲୁଆ ଶୀତର ରେକର୍ଡ ଭାଙ୍ଗିଲା: ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଡିଗ୍ରୀ ଛୁଇଁଲା ପାରଦ

ରାଜ୍ୟରେ ଏବେ ହାଡ଼ଭଙ୍ଗା ଶୀତର ପ୍ରକୋପ ଜାରି ରହିଛି, ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସକୁ ଖସି ଆସିଛି, ଯାହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କନ୍ଧମାଳର ଜି. ଉଦୟଗିରିରେ ରାତିର ତାପମାତ୍ରା ୪ ଡିଗ୍ରୀ ରହିଛି। ଶୀତର ଏହି ଲହରୀ ଏତେ ପ୍ରବଳ ଯେ ରାଜ୍ୟର ମୋଟ ୧୬ଟି ସହରରେ ପାରଦ ୧୦ ଡିଗ୍ରୀ କିମ୍ବା ତା’ଠାରୁ କମ୍ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଏବଂ କଟକ ଭଳି ଟୁଇନ୍ ସିଟିରେ ମଧ୍ୟ ପାରଦ ୧୨ ଡିଗ୍ରୀ ସେଲସିୟସ ତଳେ ରହିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ଜାରି କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବାର ସମ୍ଭାବନା ରହିଛି। ଡିସେମ୍ବର ୧୩ ତାରିଖରେ ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାରେ ଶୀତଳ ଲହରୀ ଅନୁଭୂତ ହେବାର ସମ୍ଭାବନା ଥିବାବେଳେ କେତେକ ସ୍ଥାନରେ ତୁଷାରପାତ ସହ ଘନ କୁହୁଡ଼ି ଦେଖାଯାଇଛି। ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ ରହିଛି। ଏହା ବ୍ୟତୀତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ମଧ୍ୟ ଶୀତଳ ଲହରୀ ନେଇ ସତର୍କ ସୂଚନା ଦିଆଯାଇଛି। ଲୋକଙ୍କୁ ଶୀତରୁ ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories